ଯାଜପୁର ରୋଡ଼ – ଧାମରା ରେଳପଥର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡି.ପି.ଆର୍.) ରେଳବାଇ ବୋଡର଼୍ର ମଞ୍ଜୁରୀ ହାସଲ କଲାପରେ ତାହା ବର୍ତ୍ତମାନ “ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ’ ଅଧୀନସ୍ଥ “ନେଟୱାର୍କ ପ୍ଲାନିଂ ଗ୍ରୁପ୍’ (ଏନ୍.ପି.ଜି.)ର ନକରାତ୍ମକ ଆଭିମୁଖ୍ୟ ପାଇଁ ଆଗକୁ ବଢିପାରୁନାହିଁ। ଏହି ଅଚଳାବସ୍ଥାର ପରିସମାପ୍ତି ପାଇଁ ରେଳମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଯାଜପୁରସ୍ଥ ଶାନ୍ତି ମଣ୍ଡପରେ ଅନୁଷ୍ଠିତ ବୈଠକରେ ଦାବି କରାଯାଇଛି।
ସଂଗ୍ରାମ ସମିତିର ଆବାହକ ଶ୍ରୀ ସନ୍ତୋଷ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯାଜପୁର ରୋଡ଼ – ଧାମରା ରେଳପଥକୁ ମଞ୍ଜୁରୀ ଦାବିକରି ଆସନ୍ତା ଅଗଷ୍ଟ ୪ ତାରିଖରେ ରାଜଭବନ ସମ୍ମୁଖରେ ଗଣଧାରଣା ସଂଗଠିତ କରାଯିବ। ସରକାର ଯଦି ମଞ୍ଜୁରୀ ଦାବି ପୂରଣ ନ କରନ୍ତି ତେବେ ସେପ୍ଟେମ୍ବର ୧୧ ତାରିଖରେ ଯାଜପୁର ରୋଡ଼, ଭଦ୍ରକ ଓ ଧାମରାରେ ରେଳରୋକ କରାଯିବ। ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଜୁନ ମାସରେ ପ୍ରସ୍ତାବିତ ଷ୍ଟେସନ ଅଞ୍ଚଳରେ ସଭା କରାଯିବ ଏବଂ ଜୁଲାଇ ମାସରେ ଯାଜପୁର ରୋଡ଼ରୁ ଧାମରା ପର୍ଯ୍ୟନ୍ତ ଏକ ଅଭିଯାତ୍ରୀ ଦଳ ପରିକ୍ରମା କରିବେ।
ଆଜିର ଏହି ବୈଠକରେ ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ଓ ଯାଜପୁରର ପୂର୍ବତନ ପୋୖରପାଳ ଶ୍ରୀ ଭବ ପ୍ରସାଦ ଦାସଙ୍କ ସମେତ ସର୍ବଶ୍ରୀ ମଳୟ ପଣ୍ଡା, ପ୍ରଫୁଲ୍ଲ ନାୟକ, ସତ୍ୟପ୍ରକାଶ ବେହୁରିଆ, ରାଧା ଦାସ, ଧନଞ୍ଜୟ ରାଉତରାୟ, ଦିଲ୍ଲୀପ ଦଳେଇ, ସୁରେନ୍ଦ୍ର ରାୟ, ହରିଶ୍ଚନ୍ଦ୍ର ପଣ୍ଡା, ବିଷ୍ଣୁ ଦାଶ, ବିକାଶ ନାଥ, ଦୁର୍ଗା ଚରଣ ନାୟକ ଓ ଡାକ୍ତର ନିର୍ମଳ ରଥ ପ୍ରମୁଖ ଉଦବୋଧନ ଦେଇ ଆନ୍ଦୋଳନକୁ ତୀବ୍ରତର କରିବାକୁ ଆହ୍ୱାନ ଦେଇଥିଲେ।
ଏହି ନୂତନ ରେଳ ପ୍ରକଳ୍ପଟି “ସାଗରମାଳା’ ପ୍ରକଳ୍ପରେ ତାଲିକାଭୁ୍କ୍ତ ହୋଇ ନଥିବାରୁ ତାକୁ ବିଚାରକୁ ନିଆଯିବ ନାହିଁ ବୋଲି ଏନ୍.ପି.ଜି. ମତବ୍ୟକ୍ତ କରିଛି। ଏହି ବିଚାର କେତେଦୂର ଯୁକ୍ତିସଂଗତ ବୋଲି ସଂଗ୍ରାମ ସମିତି ପକ୍ଷରୁ ପ୍ରଶ୍ନ କରାଯାଇଛି। ସମସ୍ତ ଜିଲ୍ଲାର ସଦର ମହକୁମାକୁ ରେଳ ସଂଯୋଗ କରିବାର ସରକାରୀ ଘୋଷଣା ପ୍ରତି ଏନ୍.ପି.ଜି. କାହିଁକି ବିଶ୍ୱସ୍ତ ରହିବାକୁ ଅସ୍ୱୀକାର କରିଛି, ତାହା ଯାଜପୁର ଜିଲ୍ଲାବାସୀଙ୍କୁ ବିସ୍ମିତ କରିଛି।
ବିରଜା କ୍ଷେତ୍ର, ଆଖଣ୍ଡଳମଣିର ଶୈବପୀଠ, ଧାମରାଇ ମନ୍ଦିର, ବ୍ୟାସ ସରୋବର ଓ ଭିତରକନିକାର ଜାତୀୟ ଉଦ୍ୟାନକୁ ରେଳ ସଂଯୋଗ ଦ୍ୱାରା ଯୋଡ଼ି ତୀର୍ଥଯାତ୍ରୀଙ୍କ ଆବଶ୍ୟକତା ମେଣ୍ଟାଇବା ସହ ପର୍ଯ୍ୟଟନ ଶିଳ୍ପର ବିକାଶ ପ୍ରତି ଏନ୍.ପି.ଜି. ଆଖିବୁଜି ଦେଇଛି।
କେଉଁଝର ଓ ଅନୁଗୁଳ ଜିଲ୍ଲାର ଖଣିଜ ସଂପଦ ତଥା କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ନାଲ୍କୋର ଶିଳ୍ପଜାତ ଦ୍ରବ୍ୟର ପରିବହନ ଏହି ପ୍ରସ୍ତାବିତ ରେଳପଥ ଜରିଆରେ ନ କରାଇବା ପାଇଁ ଏନ୍.ପି.ଜି. ଦେଇଥିବା ପରାମର୍ଶ ଅଭିସନ୍ଧିମୂଳକ ଅଟେ।
ବୈତରଣୀ, ସାଳନ୍ଦୀ ଓ ଖରସ୍ରୋତା ଅବବାହିକାର କୃଷିଜୀବୀ ତଥା ଏହି ନଦୀ ଓ ବଙ୍ଗୋପସାଗରରୁ ମତ୍ସ୍ୟ ଉତ୍ପାଦନ କରୁଥିବା ମତ୍ସ୍ୟଜୀବୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାର ପ୍ରସଙ୍ଗକୁ ଏନ୍.ପି.ଜି. ଅଣଦେଖା କରିଛି।
ବିକଳ୍ପ ରେଳପଥ ଅଭାବରେ କୌଣସି ସଂକଟଜନକ ପରିସ୍ଥିତିରେ ଧାମରା ଦେଇ ଜଳପଥ ଓ ରେଳପଥ ପରିବହନର ଅଚଳାବସ୍ଥା ସୃଷ୍ଟି ହେବ ବୋଲି ଡି.ପି.ଆର୍.ରେ ଯେଉଁ ଆଶଙ୍କା ବ୍ୟକ୍ତ କରାଯାଇଥିଲା ତାକୁ ବିଚାରକୁ ନେବାକୁ ଏନ୍.ପି.ଜି. ଅସ୍ୱୀକାର କରିଛି।
ଉଚ୍ଚ ହାରରେ ଲାଭର ଗ୍ୟାରେଣ୍ଟି (ଇ.ଆଇ.ଆର୍.ଆର୍. ଆକଳନ ଅନୁଯାୟୀ ୨୪.୨୨% ଓ ଏଫ୍.ଆଇ.ଆର୍.ଆର୍. ଆକଳନ ଅନୁଯାୟୀ ୧୪.୫୧%) ଏବଂ ୬୫.୩୬୫ କିଲୋମିଟର ରେଳପଥ ଉପରେ ଭାରତୀୟ ରେଳବାଇ ହରାଉଥିବା ରାଜସ୍ୱ ସଂଚୟର ନିଶ୍ଚିତତା ଥିବା ପ୍ରକଳ୍ପକୁ ଅନୁମୋଦନ କରାନଯିବା ଜାତୀୟ ସ୍ୱାର୍ଥର ପରିପନ୍ଥୀ ଅଟେ।
ଏହି ନୂତନ ରେଳପଥର ଭାଗ୍ୟ ଧାମରା ବନ୍ଦରର ସଂପ୍ରସାରଣ ପାଖରେ କେନ୍ଦ୍ରୀଭୂତ ବୋଲି ଏନ୍.ପି.ଜି. ବିଚାର କରୁଛି। ଧାମରାରୁ ଭଦ୍ରକ ପର୍ଯ୍ୟନ୍ତ ଘରୋଇ ମାଲିକାନାରେ ଥିବା ରେଳପଥର ଦୋହରାକରଣ କାର୍ଯ୍ୟ ସମାପ୍ତ ହେବାକୁ ବସିଥିଲାବେଳେ ଏକ ତୃତୀୟ ଲାଇନ ନିର୍ମାଣ ପାଇଁ ପ୍ରସ୍ତାବ ଦେଉଥିବା ଏନ୍.ପି.ଜି. ବିଭିନ୍ନ ଆଳ ଦେଖାଇ ଯାଜପୁର ରୋଡ଼-ଧାମରା ରେଳ ପ୍ରକଳ୍ପର ଅନୁମୋଦନ ପାଇଁ ଅନ୍ତରାୟ ସୃଷ୍ଟି କରୁଛି। ପ୍ରସ୍ତାବିତ ଏହି ନୂତନ ପ୍ରକଳ୍ପକୁ “”ମହତ୍ୱପୂର୍ଣ୍ଣ ବନ୍ଦର- ରେଳ ସଂଯୋଗ ପ୍ରକଳ୍ପ”(ଉକ୍ସସଗ୍ଧସମବକ୍ଷ ଚକ୍ଟକ୍ସଗ୍ଧ-ଜବସକ୍ଷ ଉକ୍ଟଦ୍ଭଦ୍ଭରମଗ୍ଧସଙ୍ଖସଗ୍ଧଚ୍ଚ ଚକ୍ସକ୍ଟହରମଗ୍ଧ)ର ମାନ୍ୟତା ଦିଆଯିବ କି ନାହିଁ, ତାହା ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସ୍ଥିର କରିବା ପାଇଁ ଅବଶ୍ୟ ଏନ୍.ଜି.ପି. ପରାମର୍ଶ ଦେଇଛି।
ଏନ୍.ପି.ଜି.ର ଏପରି ଆଭିମୁଖ୍ୟ ଯାଜପୁର ରୋଡ଼-ଧାମରା ରେଳପଥର ଭାଗ୍ୟକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି। ପ୍ରଶ୍ନ ଉଠେ, କ’ଣ ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ସ୍ୱପ୍ନ ପୁଣି ଚୁରମାର ହୋଇଯିବ? ପ୍ରଶ୍ନ ଉଠେ, କ’ଣ ରେଳମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିବ?
ଏନ୍.ପି.ଜି. ସୃଷ୍ଟି କରିଥିବା ପ୍ରତିବନ୍ଧକ ହଟେଇବା ପାଇଁ ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ସମିତି ରେଳମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରୁଛି। ରାଜ୍ୟ ସରକାର ଜମି ଅଧିଗ୍ରହଣର ଦାୟିତ୍ୱ ନେବା ଏବଂ ଜମି ରେଜିଷ୍ଟ୍ରେସନକୁ ଦେୟମୁକ୍ତ କରିବା ସହ ୨୦୨୫-୨୬ର ସପ୍ଲିମେଣ୍ଟାରୀ ବଜେଟ୍ରେ ଏହି ପ୍ରକଳ୍ପ ପାଇଁ ଅନ୍ୟୂନ ୩୦୦ କୋଟି ଟଙ୍କାର ବ୍ୟୟବରାଦ କରି କେନ୍ଦ୍ର ସରକାରଙ୍କ ଉପରେ ନୈତିକ ଚାପ ସୃଷ୍ଟି କରିବାକୁ ସଂଗ୍ରାମ ସମିତି ଦାବି କରୁଛି। କେନ୍ଦ୍ର ସରକାର ଅବିଳମ୍ବେ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରି ୨୦୨୫-୨୬ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ମଧ୍ୟ ସଂଗ୍ରାମ ସମିତି ଦାବି କରୁଛି।
















